ମନ (Mana)

ମନ

 ମନବୋଲି ଏକ ସୂକ୍ଷ୍ମ ସତ୍ତାକୁ

ରଚିଛନ୍ତି ଭଗବାନ 
ମନ ନୁହେଁ ସେତ ଆମରି ଭିତରେ
ଅନୁଭବ ରୂପି ଯାନ
ଏଇତ ଆମରି ମନ ।1।
ଶୋଇବା ବେଳରେ ପାଖେ ପାଖେ ଥାଏ
ଚେତାରେ ଉଡେ ଗଗନ
ବୁଦ୍ଧି ବିବେକର ଶୃଙ୍ଖଳା ନ ମାନି 
ଘୁରେ ଭିନ୍ନ ଭିନ୍ନ ସ୍ଥାନ 
ଏଇତ ଆମରି ମନ। 2।
ଆଖି କାନ ନାକ ସାଙ୍ଗରେ ଗୋଡାନ୍ତି
କରିବାକୁ ବିଡମ୍ବନ
ବର୍ହିମୁଖୀ ବନ୍ଧୁ ନେଇଯାନ୍ତି ତାକୁ 
ଯହିଁ ଯାଏ ତାଙ୍କ ଧ୍ୟାନ 
ଏଇତ ଆମରି ମନ। 3।
ଆନ୍ଦୋଳିତ କେବେ କରିଥାଏ ଜୀବେ
କେବେ ଦେଖାଏ ସପନ
କେବେ ଶାନ୍ତ ହୋଇ ରହିଯାଏ ପାଶେ
ଜୀବେ କରାଏ ମହାନ
ଏଇତ ଆମରି ମନ। 4।
ସାରା ଜଗତର ରୂପକୁ ଦେଖଇ
ପାଦେ ନକରେ ଗମନ
ଶରୀରର ସାଥେ ନ ଥାଏ କେବେ ସେ
କେବେ ହୁଏ ହୀନିମାନ
ଏଇତ ଆମରି ମନ। 5।
ଦୁଃଖ ରଭାବନା କରିଥାଏ ସିଏ 
ସୁଖେ ହୁଅଇ ଉଚ୍ଛନ୍ନ
ସୁଖ ଦୁଃଖ ସବୁ ତାହାର କଳ୍ପନା 
ଆତ୍ମା ରହିଥାଏ ଭିନ୍ନ 
ଏଇତ ଆମରି ମନ। 6।
ପାଚ୍ୟ ଖାଦ୍ୟ ଆମ ଶରୀର ଖୋଜଇ
ମନ ଖୋଜେ ସ୍ବାଦ ସିନା
ଶରୀରର ଭଲ ମନ୍ଦ ସେ ନ ବୁଝେ
ଏହି ତାର ବିଡମ୍ବନା 
ଏଇତ ଆମରି ମନ। 7।
ମନ ହୁଏ ରୋଗୀ ମନ ହୁଏ ଭୋଗୀ
ମନ କର ନିୟନ୍ତ୍ରଣ 
ମନକୁସାଇତି ପାରିଲେ ସଂସାରେ
ପାଇବୁ ତୁ ସନମାନ
ଏଇତ ଆମରି ମନ। 8।
ମନ ଗଢିଥାଏ କେତେ ଯେ ସପନ
କେବେ ହୋଇଯାଏ ଭଗ୍ନ
ସପନ ସାକାର କରିବାକୁ ତାର
ଲଗାଏ ସାରା ଜୀବନ
ଏଇତ ଆମରି ମନ। 9।
ସାରା ଜୀବନର ସାଥୀ ସେ ଆମର
ଜନ୍ମ ଜନ୍ମ ର ବନ୍ଧନ 
ସୃଷ୍ଟି ସ୍ଥିତି ଆଉ ଲୟରେ ସେ କେବେ
କରେ ନାହିଁ ଆମ୍ଭେ ଆନ
ଏଇତ ଆମରି ମନ। 10।
ମନକୁ ଦିଅନ୍ତୁ ଧ୍ୟାନ। 

ସରୋଜିନୀ ପରମଗୁରୁ। 

Comments

Popular posts from this blog

ଖୋଜ୍ (Khoj)

ଗୁରୁ ଦିବସ (Teacher's Day)

ସେ ମୋ ଜଗନ୍ନାଥ