ଘର ବାହୁଡା (Ghar Bahuda)
ଘର ବାହୁଡା
ନବଦିନ ଯାତ୍ରା ଆନନ୍ଦେ ସାରିଣ
ବାହୁଡିବ ନିଜ ଘରେ
ଜନମ ଭୂଇଁ ରୁ କରମଭୂଇଁକୁ
ସମ୍ଭାଳିବ ଅବହେଳେ ।1।
ତୁମବିନା ପ୍ରଭୁ ଶ୍ରୀ ମନ୍ଦିର ଏବେ
ଲାଗେ ଶୂନ୍ୟ ଅଟ୍ଟାଳିକା
ମା' ଲକ୍ଷ୍ମୀ ଏବେ ଅଭିମାନେ ରହି
ବୁଝୁଛନ୍ତି ସବୁ ଏକା ।2।
ବାହୁଡା ଯାତ୍ରା ର ମନ ତୋଷ ପାଇଁ
ମାଉସୀଙ୍କ ପୋଡ ପିଠା
ସଂସାର ବାସୀଙ୍କୁ ଚେତାଇ ଦେଉଛ
ସମ୍ବନ୍ଧ ନ କର ଫିକା ।3।
ଦାଣ୍ଡ ରେ ଆପଣ ହେବେ ସୁନାବେଶ
ଜଗତ ବାସୀଙ୍କ ପାଇଁ
ନିଜ ସ୍ତିରୀ ପଛେ ଥାଆନ୍ତୁ ଦୁଃଖରେ
ଭକ୍ତଙ୍କୁ ଖୁସି କରାଇ ।4।
ଚଣ୍ଡୀ ଚାମୁଣ୍ଡାଙ୍କ ମନକୁ ତୋଷିବ
ଅଧର ପଣା କୁ ଦେଇ
ସବୁରି ଙ୍କ ମନ ସନ୍ତୋଷ ପାଇଁ
ଲୀଳା କରୁଅଛ ସାଇଁ ।5।
ରସଗୋଲା ଶାଢୀ ଲାଞ୍ଚ ନେଇ ସାଥେ
ମା' ଙ୍କୁ ଦର୍ଶନ ଦେବ
ସ୍ତ୍ରୀ ଖୁସି ହେଲେ କର୍ତ୍ତବ୍ୟ ପଥରେ
ଶକ୍ତି ସେଥ ଯୋଗାଇବ ।6।
ପରିଜନ ତବ ଜଗି ବସିଛନ୍ତି
ଲେଉଟ ବାଟକୁ ଆଖି
ଆନନ୍ଦ ବିଭୋର ମନ୍ଦିର ଦୁଆର
ପ୍ରଭୁତ କେବଳ ସାଖି ।7
ଶ୍ରାବଣ ବରଷା ଆସିବା ଆଗରୁ
ବିଜେ କର ଶ୍ରୀମନ୍ଦିରେ
କରୁଣାର ବାରି ଢାଳି ଦିଅ ପ୍ରଭୁ
ତୁମ ଗଢା ସଂସାର ରେ ।8।
ଜୟ ଜଗଦୀଶ ହରେ
-ସରୋଜିନୀ ପରମଗୁରୁ।
Comments
Post a Comment