ମନ ରାଇଜର ମିତା

ମନ ରାଇଜର ମିତା

ଜନ୍ମ ମୃତ୍ୟୁ ର ଚକ୍ରରେ ପଡି
      ଆତ୍ମାର ବେଶ ବଦଳେ
ଆସିବା ବେଳରେ ସଭିଁଏ ଆନନ୍ଦ
      ମୃତ୍ୟୁ ହୁଏ ଅଶ୍ରୁଜଳେ।1।
ଜନ୍ମ ନେଇଛେ ଧରା ପୃଷ୍ଠରେ
       ମୃତ୍ୟୁକୁ ନାହିଁ ଡର
ଛାଡିଯାଏ ଯେଉଁ ପ୍ରିୟ ସମ୍ପର୍କକୁ
        ସେ ହୁଏ ବହୁ କାତର।2।
ଜୁଳି ମାଉସୀଙ୍କ ଘରକୁ ଯାଇ
       ପ୍ରଥମେ ଦେଖିଲୁ ଯେବେ
ବୋଉ କହିଥିଲା ରିକ୍ସାରେ ଖୁସିରେ
        ନେଇଯିବା ଆଜି ସାଥେ ।3।
ପ୍ରଥମ ଦେଖାରେ କିଣି ନେଇଥିଲୁ
        ସାରା ପରିବାର ସ୍ନେହ
ସେହିଦିନ ଠାରୁ ଯିବା ଯାଏ ତୁହି
       ଭାଙ୍ଗିନାହିଁ କାହା ମୋହ।4।
ଅଳପ ଦିନରେ ଚାଲିଯିବୁ ବୋଲି
      ଥିଲା ପ୍ରଭୁଙ୍କର ମାୟା
ତୋ ଜୀବନେ ଯେତେ ଆସିଥିଲେ ପରେ
             ସମସ୍ତଙ୍କୁ କଲୁ ବାୟା।5।
ଶାଶୁ ଶଶୁର ଙ୍କୁ କରିଦେଲୁ ଋଣି
          ତୋ ସେବା ସ୍ନେହ ଭାବରେ
ତୋର ନାମ ସଦା ଥିଲା ଜପାମାଳି
           ଆମ ନନାଙ୍କ ତୁଣ୍ଡରେ ।6।
ନଣନ୍ଦ ହେଲେବି ଗୁଲୁକୁତ ତୁହି
        ଭାବିଥିଲୁ ତୋ ସନ୍ତାନ
ତା ହୃଦୟେ ସଦା ଭରିରହିଥିଲା
         ଭକ୍ତି ପ୍ରେମର ସମ୍ନାନ। 7।
ଲକ୍ଷ୍ମୀ ସରସ୍ବତୀ ଘରକୁ ଆଣିଲୁ
        ହୋଇଲା ପୁରା ସଂସାର
ନାତିମାନଙ୍କୁ ତୁ ପାଳିଲୁ ଶ୍ରଦ୍ଧାରେ
        ଆନି ହେଲୁ ସବୁରିର।8।
ଝିଅମାନଙ୍କୁ ତୁ ବିଭାକରି ଦେଇ
        କର୍ତ୍ତବ୍ୟରୁ ହେଲୁ ମୁକ୍ତ
ସେମାନଙ୍କ ଭବିଷ୍ୟତ ଖୁସି ପାଇଁ
      ମନେ ରହିଲୁ ଚିନ୍ତିତ  ।9।
ଚିକୁ(ପିଣ୍ଟୁ) ଏବେ ବାହାହୋଇ ଯିବାପାଇଁ
            ଖୋଜେ ବୋଉର ପଣତ
କାହାକୋଳେ ସିଏ ଦହି ଗୁଡ ଖାଇ
             ବାହାରିବ ବରଯାତ।10।
ଲାଲ୍ ଟୁ ଲିଲି ଜୁଲି ପିଣ୍ଟୁ ଝୁରୁଛନ୍ତି
           ମାଈଁ ହାତ ରନ୍ଧା ପାଇଁ
କାହାପାଇଁ ଚାନ୍ଦ କାହାପାଇଁ ପିଠା
           କରୁଥିଲୁ ମନ ନେଇ ।11।
ଭାଇନାଙ୍କ ସ୍ବର୍ଗବାସ ପର ଠାରୁ
        ମୋ ଦୁଃଖେ ହୋଇଲୁ ଦୁଃଖୀ
ବୋଉ ଗଲାପରେ ମା' ର ସ୍ଥାନ
        ବହନରେ ହେଲୁ ଭାଗୀ ।12।ସବୁ ଠାରୁ ବେଶୀ ଦୁଃଖ ଦେଇଗଲୁ
          ମୋ ଭାଇର ହୃଦୟରେ
ତୋତେ ପାଇ ସିଏ ନିଶ୍ଚିତ ଥିଲା
            ତା ସଂସାରର ପଥରେ।13।
ଏବେ ସେ ଖୋଜୁଛି ତୋ ସେବା କରିବ
           ଶୁଝିନାହିଁ ଋଣ ତୋର
ଜୀବନ ରଥ ତା ଅଟକି ଯାଇଛି
           ଛିଣ୍ଡିଯାଇ ପ୍ରୀତିଡୋର।14।
ଘର ଭିତର ପ୍ରତିଟି ବସ୍ତୁରେ
         ଖୋଜୁଅଛି ମିତା ସ୍ମୃତି
ବିଗତ ଦିନକୁ ଝୁରୁଅଛୁ ଆମେ
          ଫାଟି ଯାଉଅଛି ଛାତି।15।
ମାଈଁ ନୁହେଁ ତୁହି ମାଆ ହୋଇଥିଲୁ
         ଭଣଜା ଭାଣିଜି ଙ୍କର
ସୀମା କୁ ତୋ କୋଳେ ଖିରପିଆଇଲୁ
        ଭାଷା ନାହିଁ ପ୍ରଶଂସାର। 16।
ମଲ୍ଲୀ ଫୁଲ ସମ ଫୁଟିଯାଇ ଭବେ
         ବାସ ତୋ ଚହଟି ଗଲା
ସମୟ ପୂର୍ବରୁ ଝଡିଲୁ ଡାଳରୁ
         ମନ ଦୋହଲାଇ ଦେଲା।17।
ତୋ ପୁଣ୍ୟ ତିଥୀରେ କରୁଛୁ କାମନା
         କୋହଭରା ଅଶ୍ରୁ ଢାଳି
ପ୍ରଭୁ ଜଗନ୍ନାଥ ଢାଳନ୍ତୁ ଆଶୀଷ
           ଆତ୍ମାର ହେଉ ସଦ୍ଗତି। 18।
              ଜୟ ଜଗନ୍ନାଥ
 

Comments

Popular posts from this blog

ଖୋଜ୍ (Khoj)

ମନ (Mana)

ଗୁରୁ ଦିବସ (Teacher's Day)

ସେ ମୋ ଜଗନ୍ନାଥ